Unknown

 

 

 

 

 

 

 

 

 

ଭୁବନେଶ୍ୱର ମନ୍ଦିର

ପଣ୍ଡିତ ଶ୍ରୀ ରତ୍ନାକର ଗର୍ଗବଟୁ

 

ଉତ୍କଳର ଶିଳ୍ପ ବିଭବ

 

କେଶରୀ ବଂଶର ଗୌରବ–ଶିଖର ଭୁବନେଶ୍ୱର ମନ୍ଦିର ଜଗତରେ ଅତୁଳନୀୟ । ଏହାର ଶିଳ୍ପକଳା ବିଶ୍ୱଶିଳ୍ପର ଅଦ୍ଭୁତ ପରାକାଷ୍ଠାର ନିଦର୍ଶନ । ତେଣୁ ଏହାକୁ ଦେଖିବା ଲାଗି ଜଗତର ଶିଳ୍ପୀ ଏବଂ ଶିଳ୍ପଗ୍ରାହୀ ଲୋକେ ଛୁଟି ଆସନ୍ତି ।

 

ତୋଷାଳୀ ରାଜ୍ୟସ୍ଥ ଭୁବନେଶ୍ୱର ତୋଷାଳୀର ରାଜଧାନୀ ଥିଲା । ସେଠାରେ ମନ୍ଦିରର ଅରଣ୍ୟ ଅଛି । ଭାଙ୍ଗି ଭୁଙ୍ଗି ଯାହା ବାକି ରହିଛି, ତାହା ମଧ୍ୟ ଦର୍ଶକକୁ ବିସ୍ମୟମୁଗ୍ଧ କରେ । ଶିଳ୍ପୀର ଅବସର ନାହିଁ, ସେ ଗଢ଼ିଛି, ଗଢ଼ିଛି–ଅବିଶ୍ରାନ୍ତ ଭାବରେ ମନ୍ଦିର ଭାଙ୍ଗିଛି, ମନ୍ଦିର ଗଢ଼ିଛି ।

 

ଓଡ଼ିଆ ଜାତି ଆଜି ପତିତ ହେଲେ ମଧ୍ୟ ଏହି ମନ୍ଦିର ଅବଲୋକନରୁ ସେ ଯଥେଷ୍ଟ ପ୍ରେରଣା ପାଇବ । ଯାହାର ଚକ୍ଷୁ ଅଛି, ସେ ଦେଖିବ–ଯାହାର ହୃଦୟ ଅଛି, ସେ ଅନୁଭବ କରିବ ।

 

ଆଜି ଏ ଜାତୀୟ ଶିଳ୍ପ, ଜାତୀୟ କାରୁ ଦେଖି ଉତ୍କଳର ନବୀନ ଓ ପ୍ରାଚୀନ, ସାଧକ ଓ ଭକ୍ତ ମୁଗ୍ଧ ହୁଅନ୍ତୁ; ଏହି ମନ୍ଦିରମାନଙ୍କ ସହିତ ଯଥେଷ୍ଟ ପରିଚିତ ହେବାପାଇଁ ଆଗ୍ରହାନ୍ୱିତ ହୁଅନ୍ତୁ । ଜାତୀୟ ଶିଳ୍ପ ସାଧନାର ଅଦ୍ଭୁତ ପରିପକ୍ୱତା ଭୁବନେଶ୍ୱରର ମନ୍ଦିରମାନଙ୍କରେ ଦେଖି ଏ ପତିତ ଜାତିକୁ ଆଉ ଥରେ ଗୌରବ ଶିଖରକୁ ଉଠାଇବାକୁ ଚେଷ୍ଟାକରନ୍ତୁ । କେବଳ ଏହି ଆଶାରେ ଭୁବନେଶ୍ୱରସ୍ଥ ପ୍ରଧାନମନ୍ଦିର ଗୁଡ଼ିକର କଳାଚିତ୍ର ଏଥିରେ ଦିଆଗଲା ।

 

ଲିଙ୍ଗରାଜ ମନ୍ଦିର ବା ବଡ଼ ଦେଉଳ

 

ଏହି ମନ୍ଦିରର ଉଚ୍ଚତା ୧୬୦ଫୁଟ । ବେଢ଼ାର ଦୈର୍ଘ୍ୟ ୫୭୦ ଫୁଟ, ପ୍ରସ୍ଥ ୪୬୫ ଫୁଟ, କ୍ଷେତ୍ରଫଳ ୪ ଏକର । ସର୍ବପ୍ରଥମେ ଯଯାତି କେଶରୀ ଏହାର ନିର୍ମାଣକାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ପରେ ଲଲାଟେନ୍ଦୁ କେଶରୀ ୬୬୬ ଖ୍ରୀଷ୍ଟାବ୍ଦରେ ନିର୍ମାଣ ଶେଷ କଲେ । ଏହାଛଡ଼ା ସନ୍ନିହିତ ଅନ୍ୟ ମନ୍ଦିରମାନ ବିଭିନ୍ନ ସମୟରେ ନିର୍ମିତ ହୋଇଥିଲା ।

Image

 

 

 

 

 

 

 

 

Image

 

 

 

 

 

 

 

Image

 

 

 

 

 

 

 

Image

 

ରାଜାରାଣୀ ମନ୍ଦିର

 

ଏହି ମନ୍ଦିରର କାରୁକାର୍ଯ୍ୟ ଅତୁଳନୀୟ । ଏହା ବିମାନ ଓ ଜଗମୋହନ ଏହି ଦୁଇଭାଗରେ ବିଭକ୍ତ । ଖ୍ରୀଷ୍ଟୀୟ ନବମ ଶତାବ୍ଦୀ ଏହି ମନ୍ଦିରର ନିର୍ମାଣକାଳ ବୋଲି ସ୍ଥିରୀକୃତ ହୋଇଅଛି । ମନୁମେଣ୍ଟଆକ୍ଟ ଅନୁସାରେ ଏହି ମନ୍ଦିର ଗଭର୍ଣ୍ଣମେଣ୍ଟଙ୍କ ତତ୍ତ୍ୱାବଧାନରେ ରହିଅଛି ।

Image

•••

 

ମୁକ୍ତେଶ୍ୱର ମନ୍ଦିର

 

ଲିଙ୍ଗରାଜ ମନ୍ଦିରର ଅର୍ଦ୍ଧମାଇଲ ଦୂର ଉତ୍ତର ପୂର୍ବରେ ଏହି ମନ୍ଦିର ବିଦ୍ୟମାନ । ଅନ୍ୟ ମନ୍ଦିର ମାନଙ୍କଠାରୁ ଏହାର ନିର୍ମାଣ କୌଶଳରେ ଟିକିଏ ପ୍ରଭେଦ ଲକ୍ଷିତ ହୁଏ । ଏହାର ଚତୁର୍ଦ୍ଦିଗ ପ୍ରାଚୀର ବେଷ୍ଟିତ ।

Image

•••

 

ପର୍ଶୁରାମେଶ୍ୱର ମନ୍ଦିର

 

ଏହି ମନ୍ଦିର ଖ୍ରୀଷ୍ଟୀୟ ୬ଷ୍ଠ ବା ସପ୍ତମ ଶତାବ୍ଦୀରେ ନିର୍ମିତ ହୋଇଥିଲା । ଏହାର ଗଠନ ପ୍ରଣାଳୀ ଉତ୍କିନ୍ନ କାରୁଚିତ୍ର ଗୁଡ଼ିକ ଅନ୍ୟାନ୍ୟ ମନ୍ଦିରଠାରୁ ସମ୍ପୂର୍ଣ୍ଣ ପୃଥକ୍‌ । ମନ୍ଦିରର ଭିତର ଅଂଶ ଖ୍ରୀଷ୍ଟାନ୍‌ମାନଙ୍କର ଗିର୍ଜା ଭଳି ।

Image

•••

 

ବ୍ରହ୍ମେଶ୍ୱର ମନ୍ଦିର

 

ବଡ଼ ଦେଉଳଠାରୁ ପ୍ରାୟ ଏକ ମାଇଲ ଦୂର ଉତ୍ତରରେ ଏହି ମନ୍ଦିର ଅବସ୍ଥିତ । ଏହା ଖ୍ରୀଷ୍ଟୀୟ ନବମ ଶତାବ୍ଦୀର ତୃତୀୟ ପାଦରେ ଉଦ୍ୟୋତ କେଶରୀଙ୍କଦ୍ୱାରା ନିର୍ମିତ ହୋଇଥିଲା । ଏହାର ପ୍ରାଙ୍ଗଣ ଅତି ବିସ୍ତୃତ । ଏହି ମନ୍ଦିରରୁ ଖଣ୍ଡିଏ ଶିଳାଲିପି ଆବିଷ୍କୃତ ହୋଇଅଛି ।

Image

•••

 

କେଦାରେଶ୍ୱର ମନ୍ଦିର

 

ଏହା ପଞ୍ଚରଥବିଶିଷ୍ଟ । ଏହାର ପାର୍ଶ୍ୱରେ ପବିତ୍ର କେଦାର ଗୌରୀ କୁଣ୍ଡ, ଚାଉଳଧୁଆ କୁଣ୍ଡ, ଗୌରୀମନ୍ଦିର ପ୍ରଭୃତି ବିଦ୍ୟମାନ । ଏହି ମନ୍ଦିରରେ କେଦାରେଶ୍ୱର ମହାଦେବ ଥିଲେ ସୁଦ୍ଧା, ବୃଷଭ ନ ଥାଇ ଏଠାରେ ଗରୁଡ଼ ମୂର୍ତ୍ତି ସ୍ଥାପିତ ହୋଇଅଛି । ଏ ଶକ୍ତି ସବୁବେଳେ ଜଳରେ ପୂର୍ଣ୍ଣ । କୌଣସି ପ୍ରାକୃତିକ ପ୍ରସ୍ରବଣ ସହିତ ଏହା ସଂଯୁକ୍ତ ।

Image

•••

 

ସିଦ୍ଧେଶ୍ୱର ମନ୍ଦିର

 

ଏହା କେଦାରେଶ୍ୱର ମନ୍ଦିରର ଉତ୍ତର ପଶ୍ଚିମ କୋଣରେ ଅବସ୍ଥିତ । ଏହାର କାରୁକାର୍ଯ୍ୟର ସୁଷମା ସରଳ ସୁନ୍ଦର ଚିତ୍ରଣରେ ଫୁଟି ଉଠିଅଛି ।

Image

•••

 

ଅନନ୍ତ ବାସୁଦେବ ମନ୍ଦିର

 

ଏହାର ନିର୍ମାଣପଦ୍ଧତି ଓ କାରୁକାର୍ଯ୍ୟାଦି ସହିତ ଲିଙ୍ଗରାଜ ମନ୍ଦିରର ବିଶେଷ ସାଦୃଶ୍ୟ ଅଛି । ମନ୍ଦିର ମଧ୍ୟରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କର ତିନୋଟି ପଥରର ମୂର୍ତ୍ତି ଅଛି । ପ୍ରାଙ୍ଗଣରେ ଆହୁରି ତିନୋଟି କ୍ଷୁଦ୍ର ମନ୍ଦିର ମଧ୍ୟ ସୁଶୋଭିତ । ଏହାର ପ୍ରାଚୀର ଗାତ୍ରରେ ଦୁଇଗୋଟି ଶିଳାଲିପି ଜଡ଼ିତ ଅଛି ।

Image

•••

 

ବିନ୍ଦୁ ସରୋବର

 

ଏହି ପ୍ରକାଣ୍ଡ ପୁଷ୍ପରିଣୀର ତୀର୍ଥମହାତ୍ମ୍ୟ ଭାରତପ୍ରସିଦ୍ଧ । ଏହାର ଦୈର୍ଘ୍ୟ ୧୩୦୦ ଫୁଟ, ପ୍ରସ୍ଥ ୭୦୦ ଫୁଟ ଓ ହାରାହାରି ଗଭୀରତା ୨୦ ଫୁଟ । ଏଥିମଧ୍ୟସ୍ଥ ଦ୍ୱୀପଦଣ୍ଡୀର ଆକାର ଦୈର୍ଘ୍ୟରେ ୧୧୦ ଓ ପ୍ରସ୍ଥରେ ୧୦୦ ଫୁଟ । ଚନ୍ଦନଯାତ୍ରା ସମୟରେ ଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ଏହାର ପବିତ୍ର ଜଳରେ ଚାପ ଖେଳନ୍ତି । ପୁଷ୍କରିଣୀର ଉତ୍ତର ଓ ପୂର୍ବ ପାର୍ଶ୍ୱମାନଙ୍କରେ କାରୁକାର୍ଯ୍ୟ ଖଚିତ ମନୋହର ଅନେକ ମନ୍ଦିର ବିଦ୍ୟମାନ ।

Image

Image